Unknown

ସଂଘର୍ଷ

ଶ୍ରୀ ଲକ୍ଷ୍ମୀକାନ୍ତ ମହାପାତ୍ର

 

ବ୍ୟଭିଚାରର ପୂଜା –

ଦୁନିଆରେ ବାଜେ ତୋ ନାମର ସିନା କଳଙ୍କ – ବାଜା,

ମୋ’ ପ୍ରାଣ – ମନ୍ଦିରେ ତୋ’ ପାଇଁ ଫୁଲର ଆସନ ସଜା !

ନୀତିବାଦୀ ସିନା ତୋ’ ମୁଖ ଦେଖିଲେ, ଗଣନ୍ତି ପାପ,

ତୋ’ ସ୍ୱର ନ ଶୁଣି ମୁହୂର୍ତ୍ତେ ବଞ୍ଚିବା ମୋ’ ଅଭିଶାପ !!

 

ଭୟ ନାହିଁ ଯଦି ସମାଜ ଗାଉଛି ତୋ’ ଅପକୀର୍ତ୍ତି,

ମୋ’ ଚିତ୍ତ – ପୁସ୍ତକେ ତୋ’ ପଦବୀ ସହ, ‘ସତୀ – ସାବିତ୍ରୀ !!! ‘

ଲକ୍ଷ ନିନ୍ଦା ଗାଉ ସମାଜ ପଛେ ତୋ’ ରୀତି ନୀତିର,

ମାନେନାହିଁ ମୁଁ ସେ’ ପୁରାଣ ପୋଥିର ବନ୍ଧା – ନିୟମ,

 

ସ୍ୱାର୍ଥ- ସେବକର ରକ୍ଷିତ- ସ୍ୱାର୍ଥ ସେ ତହିଁ କି କାମ ?

ଫରମାସ ମାନି ନୀତି ପୁରାଣର କାଟିବା ଦିନ –

ଆପଣା ମନର ଉଗ୍ର ଏ ଭାବକୁ କରି ଦମନ,

ଆପଣା ପ୍ରବୃତ୍ତି ଆପଣା ରୁଭୁକ୍ଷା କରି ବିଧ୍ୱସ୍ତ

ପାର ମନା ମାନି “ମଣିଷ’’ ହେବାକୁ ନୋହେ ମୋ ମତ !!!

 

-ବନ୍ଦନା-

ଝଡ଼ର ରୋଳେ ଯେବେ ଗାଇଲ,

ନାରୀ ! ତୁ ବିପ୍ଲବ ବାରତା –

ଆପଣା ‘କ୍ଷୁଧା’ ତଳେ ନଁଇଲ

ଦୁପ୍ତ ସମାଜର କରତା !!

ନ ହୋଇ ପରକୁହା ‘ଦ୍ରୌପଦୀ’

ଆପଣା ମନେ ହେଲୁ “ଶ୍ରୀରାଧା’’

ନମାନି ସତ ଚିରାଚରିତ,

ଅସତ ବେଳେ ହେଲୁ ଆରାଧ୍ୟା !

ଆପଣା ପଥେ ଆପେ ଚାଲିଲୁ,

ଲକ୍ଷ ମନା ଦଳି ପଦରେ,

ଦୁନିଆ ଲାଳସାକୁ ନ ବିକି

ଆପଣା ନାରୀପଣ ସାଧରେ !

ଜାରିଲା ‘ସ୍ୱ’ ତ୍ୱ ତୋ’ ନାରି ଗୋ

ଶ୍ରେଷ୍ଠ ଏହି ମାନବିକତା ........

ତା’ ପଦେ ମଥା ମୋର ଭଜଇ

ଭକତି ବିନୟରେ ଏକତା !

 

ସହ ସେ ଆଦରଣ ବଳେ ଗୋ

କରିବ ପ୍ରଣୟର ବିହାର,

ବନ୍ଦୀ ସମ ମୁହିଁ ରଚିବି

ଅମଳ ସ୍ତୁତି ଆଜି ତାହାର !!

 

-ବିପଥୁଁ -

ସୁପଥରେ ଚାଲି ଚାଲି .......

ଯାହାର ଚରଣ ଚିହ୍ନ ଦର୍ଶନ ନ ପାଏ ଦିନେ,

ଅପଥରେ ଯଦି ଆଜି ତା’ ସଙ୍ଗ ଲଭିଲି !

ନୀତି ବାକ୍ୟେ ଯଦି ସେହୁ ନ ଯାଚିଲା ପ୍ରଥମ ଯୌବନ,

ବ୍ୟଭିଚାର ଅନୁସରି ଆଜି ତା’ର ପାଇଲି ଚୁମ୍ବନ,

 

ପୁଣ୍ୟ- ପଥେ ନିରାଶ ଯେ କଲା –

ପାପର ପଙ୍କିଳ ପୁରେ ତା’ର ଯେବେ ସନ୍ନିଧାନ ହେଲା !

ଆଲୋକରେ ଯାକୁ ଲୋଡ଼ି କାନ୍ଦୁଥିଲି କୁରରୀର ସମ,

ଅନ୍ଧକାରେ ଆପେ ଯଦି ଆସିଲା ସେ’ ମୋ’ ଭାଗ୍ୟ ପରମ !!

 

ଘୃଣା ପଥେ ଯଦି ସେହୁ ଯାଚି ଦେଲା ତା’ ପ୍ରଣୟ – ହାର,

କଳଙ୍କର ସାଥେ ଯଦି ବରି ନେଲା ସାଦରେ ବିହାର,

ଲୋକ ନିନ୍ଦା ତୀବ୍ର କଷା ସହି –

ମୋ’ହ ପାଇଁ ବେଶ୍ୟାତ୍ୱରେ ଯେ ବରିଲା,

ଆଜି ତା’ର ବନ୍ଦନା ରଚଇଁ !!

 

 

ତାହାର ନାରୀତ୍ୱ ପଦେ ରେଣୁ ସମ

ପୌରୁଷ ମୋ’ ଲୋଟିବାକୁ ଝୁରେ,

ଗରବିତ ମୁହଁ ଆଜି ସେ ଯେଣୁ, ‘ଚରିତ୍ର ହୀନା ‘

ତା’ ପ୍ରେମିକ ପଣେ ମୋତେ ନିରାଶ ନ କରେ !

 

ପ୍ରେମ ଓ ପାପ –

ଭଲ ପାଉଥିଲି ତୋତେ, ଖାଲି ସଖି,

ତାହା ଯେଣୁ ନିୟମ ସୃଷ୍ଟିର,

ଭଲ ପାଇବାରେ ଯଦି ଥିଲା ‘ପାପ’

ସହି, ସେ ମୋ’ ବାହାରେ ଦୃଷ୍ଟିର !

ସ୍ନେହେ ପାଶେ ନୀତିର ସମ୍ପର୍କ,

ଅଜ୍ଞ ଯେଣୁ ଜାଣି ମୁଁ ନ ଥିଲି,

ସମାଜର ଅନୁମତି, ସମାନ ହୃଦୟ,

ନ ଚାହିଁଲା; ଦ୍ୱାର ଦେଲି କିଳି !

ଦୁଇଟି ପ୍ରାଣର ଯେଉଁ ଆକର୍ଷଣ,

ତାହା କି ଗୋ ଲଜ୍ଜାର ବାରତା,

ଦୁଇଟି ବକ୍ଷର ଯେଉଁ ଭାବୋଚ୍ଛ୍ୱାସ,

ସଙ୍ଗମ ତା’ ଘୃଣା – ବର୍ବରତା?

କିଏ ୟା କହିଲା --?

ଲୁହା ଚୁମ୍ବକର ଯେଉଁ ସମ୍ପର୍କ ଗୋ

କେବେ ତାହା ‘ବ୍ୟଭିଚାର’ ହେଲା ?

ସ୍ୱାଭାବିକ ନିମ୍ନଗତି ତଟୀନି କି ବିପଥ – ଚାରିଣୀ ?

ସହକାର ପାଶେ କିମ୍ପା ମାଧବିକା ଚିରି ଭିକାରିଣୀ ?

 

ଅନୀତି ‌-

ମୋହରି ନିର୍ଦ୍ଦେଶ ଆଜି ଆଗଭରେ ବେଶ୍ୟାତ୍ୱର ପଦେ –

ଶ୍ରଦ୍ଧା- ଞ୍ଜଳି ଦେଲା ଯେ’ ‘ସାବିତ୍ରୀ’ ,

ବନ୍ଧା ‘ନାରୀତ୍ୱ’ରେ ତେଜେ ଯେ ବରିଲା ମୁକ୍ତ ‘ବ୍ୟଭିଚାରେ’

ସେ’ ମୋ ପୁଜ୍ୟା – ସେହି ମହାସତୀ !!!

 

‘ପରର’ ବଇଁଶୀ ସ୍ୱନେ ଧାଇଁଲା ଯେ ଉନ୍ମାଦିନୀ ସମ –

ବକ୍ଷ – ତଳ୍ପ ମଣି ମୋର ପିତା,

ଆପଣାର ରୁଚି ବୋଲି ଯେ ଲୋଡ଼ିଲା ପର ବାହୁ- ବଲ୍ଲୀ –

ସେ’ ମୋ’ ନାରୀ – ପତିବ୍ରତା ସୀତା ।

 

ଗୁରୁଜନ ଆଜ୍ଞା ମାନି ଯେ ‘ଦ୍ରୌପଦୀ’ ଆପଣା ନାରୀତ୍ୱ

ପଞ୍ଚ ମଧ୍ୟେ ନ କଲା ବଣ୍ଟରା,

ସାମାଜର ରଙ୍ଗ ଡ଼ୋଳା – ଲୋକ ନିନ୍ଦା ତୀବ୍ର କଷାଘାତ,

ନ ମାନିଛି ଯେ ‘ରାଧା’ ସେ ବୀରା !!

 

ବ୍ୟଥାର ଦୃଷ୍ଟି –

ତୁମେ ଯହିଁ ଦେଖ       ଫୁଟିଲା କୁସୁମେ –

ରୁପର ସୁଷମା ଗନ୍ଧ ଭରା –

ମୁଁ ଦେଖେ ତାହାରି       ଗୋପନ ଗରଭେ

କୀଟର ଦଂଶନେ ବିଷ ଜ୍ୱାଳା !!

ତୁମେ ଯହିଁ ପାଅ             ମଳୟ ହିଲ୍ଲୋଳେ

ଲବଣୀ- କୋମଳ ମଧୁ ସ୍ପର୍ଶ,

ମୋ’ ଅନୁଭବକୁ            ତହିଁ ଆସେ ସହି,

ବୈଶାଖୀ ମଧ୍ୟାହ୍ନ ରୌଦ୍ର ତ୍ରାସ !!

ତୁମେ ଯହିଁ ଦେଖ             ଚଟୁଳ ରୁପସୀ

ବଦନେ ହାସ୍ୟର ମଧୁ ଧାର,

ମୁଁ ଦେଖେ ତା’ ହୃଦେ             ତୀବ୍ର ବିଦହନ

ମରମେ ଧ୍ୱସଂର ହାହାକାର !!

ତୁମେ ସିନା ଦେଖ             ବାଣୀର ନିସ୍ୱନେ,

ମଧୁର ମୁର୍ଚ୍ଛନା ପୁରବୀର,

ମୋ’ ବୁକୁରେ ଉଠେ            ମଦ୍ରେ ଆରାବି

ଦୈନ୍ୟ ଯାତନା ଜଗତର ।

 

ଶରତ ନିଶୀଥେ            ଶୁଭ୍ର ସୁବିମଳ

ଚନ୍ଦ୍ରିକା ସେବେନେ ଧୀର ସ୍ଥିର,

ତୁମେ କିସ ଭାବ,            ମୁଁ ଭାବେ ଦୁନିଆ

ସୈତାନୀ ମାୟାର ଖେଳ ଘର !!

 

ପ୍ରାଣର କବିତା –

କି ବ୍ୟଥା ଗାଇବି ଆଜି ସଖା ମୋର !

ଜିହ୍ୱା ମମ ପାରିବକି କହି ?

ରକ୍ତ ମାଂସ ଦେହ ଧରି – ଦୟା ପ୍ରୀତି ହୃଦେ ଭରି

ଶୁଣିବ କି ତୁମେ ?

 

ପ୍ରାଣ ତୁମ ନୋହିବ କି ଦହି ?

ତରଳ ପଡ଼ିବ ନି’ କି – ଦରଦୀ ହୃଦୟ ତମ.

ଏ ବିଷାନ ଦୀର୍ଘ ଶ୍ୱାସେ ମୋର,

ପାଷାଣ ବା ବକ୍ଷ ଧରି ନିଶ୍ଚଳ ରହିବ;

 

ଧୈର୍ଯ୍ୟ କାହିଁ ମାନବ ଶିଶୁର ?

ଏ’ ଆହତ ବୁକୁ ତଳେ ଦୀପ୍ତ ଶତ ଆଶା,

‘ଭ୍ରୁଣ’ବୋଲି ମୋଡ଼ୁଛି ମୁଁ ଗଳା ତାହାଙ୍କର

ତନ୍ତ୍ରୀରେ ତନ୍ତ୍ରୀରେ ଉଠେ ଯେ ଗୀତ ମୁର୍ଚ୍ଛନା

କର୍ଣ୍ଣେ ହସ୍ତ ଦିଏଁ – ମୁଁ ବଧୀର !!

 

ଜିହ୍ୱା ଚିପି ଢ଼ୋକି ଦିଏଁ ସକଳ ଆକାକ୍ଷାଂ

ପାପ କଥା ନ ଶୁଣୁ ତା’ ପର !!

ଅତୀତର ଶିଳା ତଳେ ରଖିଛି ଯେ କ୍ଷୁବ୍‌ଧ ପ୍ରାଣ ଚାପି

ତା ବିକଳ ସ୍ୱର ଆଜି ବାୟୁ ଆଣେ ବହି,

‘ଗଲା’ ପଥେ ଯା ଛାଡ଼ିଛି, ଆସିବାର ପଥେ

ତାହା ଲାଗି ଲୁହ କାହିଁପାଇଁ ?

 

ଶୈଶବର ଅଜ୍ଞତାରେ ଦିନେ ......

ପଥ ପ୍ରାନ୍ତୁ ଭେଟିଥିଲି ଯେ କୁସୁମ ମାଳ

ସ୍ନେହେ ଯାରେ ପିନ୍ଧିଥିଲି ଗଳେ –

ଛି, ଛି ବୋଲି ଫିଙ୍ଗି ଦେଲେ ମୋ’ ହସ୍ତୁ ଛାଡ଼ାଇ,

‘ପ୍ରିୟ ଗୁରୁଜନେ’ ମୋର ତଳେ!

 

ଆଜି ତାର ମାୟା ଆସି ପଦେ କିଆଁ ଛନ୍ଦିହୁଏ ମୋର?

ଅନ୍ତରେ କରୁଣେ ଆଜି ଉଠଇ ଆରାବି –

କ୍ରନ୍ଦନ ସେ ଦଳିତ ପୁଷ୍ପର !!

କାନ ମୁଳେ କହେ କେ ତା’ ବାଣୀ –

ଉତ୍ସୃଙ୍ଖଳ ହୋଇ ଉଠେ ହୃଦ ମମ ସେ ଚିତ୍କାର ଶୁଣି !!

 

ପ୍ରାଣେ ତଣେ ଉଠେ ଅଭିଯୋଗ –

ଫେରି ପାଇବାକୁ ହେବ ସେ’ ଅତୀତ –

ସେ ମିଳନ ଭୋଗ ।

 

 

ନୀତିର ଲଙ୍ଘନ ତେଣୁ ମାନେ, ନା ମୋ’ ଯଉବନ –

ଚିର ଉତ୍ସୃଙ୍ଖଳ;

ପରର ଆଦେଶେ ଆଉ       ହତ୍ୟା ନ କରିବି,

ନିଜ ହସ୍ତେ ଆପଣା ଅନ୍ତର !!

 

ରକ୍ତରେ ରକ୍ତରେ ଆଜି      ଉଠେ ମୋର ବିପ୍ଲବର ଢେଉ

ପ୍ରାଣେ ଉଠେ ରୁଦ୍ର ଆଣଚାଶ,

ରାତ୍ରିର ପୁଲିନେ ଆଜି       ଶାନ୍ତି- ଶାୟୀ ମୁହି

ଦିବସର ତଳ୍ପେ ନାହିଁ ଆଶ !!

 

ଝଡ଼ର ଝଙ୍କାରେ ଆଜି

ପ୍ରାଣ ମୋର କରେ ସହଯୋଗ,

ହୃଦୟର ଦଗ୍‌ଧ ଅଣଚାଶ –

ଧରେ କିବା ବାତ୍ୟା ଠାରୁ ବେଗ ।

 

ଜଗତର ଦୈନ୍ୟ ଅପମାନ

ସାଥେ ମୋର ନିଜର କଷଣ,

ମେଳେ ବାନ୍ଧି ଅଭିଯାନ ରଚିବାକୁ ଚାହେଁ

ବାଧା ଦଳି ହୁଏ ଆଗୁଆନ୍‌ !!

 

ତେଣୁ ଆଜି ମୁଁ ବିପଥଚାରୀ –

‘ଅନିତୀ’ ରେ ପେଶଇ ମୋ’ ଅନ୍ତର ବାର୍ତ୍ତା –

ପାପର ମୁଁ ପ୍ରଣୟ ଭିଖାରୀ !!

 

ଶାସ୍ତ୍ରର ଆଇନ୍‌ ମାନି ଆପଣାର ପୌରୁଷରେ ହତ୍ୟା –

କରିବାକୁ ମୁହିଁ ଆଜି ନାହିଁ ମାନେ ଯେଣୁ,

ତେଣୁ, ଏ ବାତ୍ୟାର ରାସେ – ଝଡ଼ର ସାଧନେ,

ଉତ୍କର୍ଣ୍ଣ ମୁଁ, ବିନିଦ୍ରରେ ତେଣୁ ।

 

ଅତୀତ କାଳରୁ ମୋର,

ଶୁଭେ ଯାର ବିକଳ ବିଳାପ,

ତାହାର ସଂଧାନେ ଆଜି ଧାଉଁଛି ମୁଁ ଉଦ୍‌ବିଗ୍ନ ମାନସେ ‌-

ବକ୍ଷେ ମୋର ଉତ୍କଣ୍ଠା ଅମାପ !!

 

ନିରନ୍ଧ୍ର ଏ ନିଶା ବିଭୀଷିକା –

ସୁଉ ସୁଉ ଗର୍ଜେ ମେଘମାଳ –

ବହେ ତେଣେ ପ୍ରଳୟର ବାତ୍ୟା,

ଉଲ୍ଲୁକ ଡାକଇ ଆର୍ତ୍ତେ ଜଳ ଦେଖି ତେଣେ ତାର ନୀଡ଼େ,

 

ଶିବାଳୟେ ଶିବାପଲ ଉଠନ୍ତି ଗରଜି –

‘ସରିନାହିଁ ଶବୁ’ ଅସ୍ଥି, ବୃଷ୍ଟିର ଏ ଦାଉ କିଆଁ ଏଡ଼େ’ !

‘ପ୍ରିୟ’ ଜ୍ଞାତ ଜନେ ମୋର, ଡାକନ୍ତି ପଛରୁ –

‘ଫେରି ଆ’ରେ ବାୟା ଶୀଘ୍ର ଘରେ !’

 

ନୀତିବାଦୀ କହେ ବଡ଼ ଜୋରେ –

‘ଏ ଅଶୁଭ ଲଗ୍ନେ ବାବୁ, ଯାତ୍ରା କାର୍ଯ୍ୟ ନିଷିଦ୍ଧ ବିଧିରେ !’

ଫେରିକି ପାରିବି ?

ଦଳିତ, ଲାଞ୍ଛିତ ମୋର ସର୍ବହରା ବନ୍ଧୁ ଯେତେ,

ଆସୁଛନ୍ତି ଅନୁସରି ଯେତେ,

ଜଣେ ଜଣେ ଛାଡ଼ିକି ମୁଁ ଦେବି ।

 

ତେଣେ ସେହି ଆର୍ତ୍ତରୋଳ

ସକରୁଣ ହୁଏ ବେଳୁବେଳ ,

ହୃଦ ମୋର ଦହି ହୁଏ

ପ୍ରାଣେ ଫୁଟେ ଅବା ଶତ ଶେଳ,

ଆଗେ ମାଡ଼ି ଚାଲେଁ ବ୍ୟଗ୍ରପଦେ –

ଦୁନିଆର ଶତ ବାଧା ପଦେ ଦଳି

ଯୌବନର ମଦେ !

 

ଝଡ଼ର ଲଗ୍ନେ –

ଅର୍ଦ୍ଧ ଯାହା ଅନାଦୃତ ଆଜି ତା’ର ରଚେ ମୁଁ ବନ୍ଦନା,

ପରିତ୍ୟକ୍ତ ପାଇଁ ମୋର ପ୍ରାଣେ କିଆଁ ଉଠଇ ମୁର୍ଚ୍ଛନା !

ଅବହେଳିତର ଦାବି କାଳେ କାଳେ ଘୋଷିଯାଏ କିଏ,

ଅସମାପିକାର ପାଷେ ଅନ୍ତର ମୋ’ ବାରତା ପଠାଏ !

 

କରଣୀୟ ନୁହେ ଯାହା, ବରି ଆଣେ ସାଦରେ ମୋ’ ପୁରେ,

ଅକଥା ବନିତା ମୋ’ର ପୁଜେଁ ଷୋଡ଼ଶ ବଧିରେ !

ଏ ସଂସାରେ ଯାହା କିଛି ଘୃଣା, କଦର୍ଥନା

ଯାହା କିଛି ପାପ ବ୍ୟଭିଚାର,

ଅମଙ୍ଗଳ ପଦେ ପୂଜେ ଧୁମକେତୁ ମୁହିଁ ଦୂରାଚାର !

 

ଅନୀତିରେ ବରି ନିଏ ଶୁକର ମୁଁ କର୍ଦ୍ଦମର ସମ,

କଟୁ କୂଟ ନୀତି, ଆଉ ସୟତାନୀ,

ତାହା ମୋ’ର ଆଦର୍ଶ ଚରମ !

ଦୁନିଆର ସାବାସକୁ ପାମର ମୁଁ ଦୁରୁ ଜୁହାରଇ,

ସମାଜର ଯାହା ‘ପୁଣ୍ୟ’- ପୁରୀଷ ତା’ , ପଦେ ମୁଁ ଫିଙ୍ଗଇ !

 

 

ନୀତିବାଣୀ ଯାହା କହେ ‘ ସତ୍ୟ’ –

ତହିଁ ଦେଖେ ଭଣ୍ଡାମି ମୁଁ –

ମାୟା ତାହା ଛଦ୍ମବେଶୀ ସ୍ୱାର୍ଥ !!

ପୁରାଣର ସଂଜ୍ଞା ମାନି ‘ଶୁଚିବନ୍ତ’ ହେବା ମୁଁ ନ ଚାହେଁ –

ସାମାଜିକ ‘ନାହିଁ’ ମାନି ବଡ଼ାଇ ନେବାରେ

ମୋର ଏକ ତରୁଣ୍ୟ ନ କହେ ।

 

ଆପଣା ବ୍ୟକ୍ତିତ୍ୱ ଢାଳି ସମାଜର ମନୋମତ ଛାଞ୍ଚେ,

ପୌରୁଷର ପଦେ ବାନ୍ଧ ବେଡ଼,

ପରର ପାହୁଣ୍ଡ ମାପି ଚାଲିବାରେ ଯେଉଁ ବାହାଦୁରୀ,

ସ୍ଥବିରତା, -- ଯାଏ ତାକୁ ଏଡ଼ ।

 

ତେଣୁ ଆଜି ମୁହଁ ସ୍ୱେଚ୍ଛାଚାରୀ –

ଆପଣାର ପଥେ ଦମ୍ଭେ ମାଡ଼ି ଚାଲେ

ବାଧା ବିଘ୍ନ ଦଳି ।

ଲୋକ ମତ ମାନେ ନାହିଁ, ଜାଣେ ନାହିଁ ପଥ ଓ ବିପଥ,

ଲକ୍ଷର ମଦରେ ଆଜି ମତୁଆରା, ଯାନ୍ତ୍ରୀକ ମୁଁ –

ଗତି ମୋର ପୁର୍ଣ୍ଣ ଅନାୟତ୍ତ ।

 

 

 

ବାଧାର ତୁଙ୍ଗିମା ଆଜି ମାନେ ନାହିଁ ତାରୁଣ୍ୟ ମୋ’

ଉନମତ୍ତେ ଦର୍ପେ ଯାଏ ଦଳି –

ବାର୍ଦ୍ଧ୍ୟକର ମନ୍ଥରତା ପଦେ ଲୋଟେ –

ସ୍ଥବରତା ପଡ଼ଇ ମଉଳି ।

 

ଅଣନିଶ୍ୱାସୀ ମୁଁ ଧାଏ କ୍ଷିପ୍ତ ମଦେ –

ଧ୍ୱାନ୍ତ ଧୂମ – କେତନ ଉଡ଼ାଇ,

ବକ୍ଷେ ଧରି ବଜ୍ର ତେଜ

ମହାକାଳ ସିଂହା ଭୀମେ ବାଇ ।

 

ଉତ୍ତକ୍ଷିପ୍ତ ଆଗ୍ନେୟ ଗିରି

ସମ ଆଜି ଛୁଟେ ମୋର ତେଜ,

ନିଶ୍ୱାସରେ ଝଡ଼ ବହେ –

ବାକ୍ୟେ ମୋ’ର ଅଶନିର ବୀର୍ଯ୍ୟ !

 

ମହାତ୍ରାସ – ଉଲ୍‌କା ମୁହଁ ବାତ୍ୟାମଦ୍ୟ ପିଇ ଉଦଗ୍ରୀବ ...

ମହାକାଳ ସାଥେ ଆଜି ରଚିବି ମୁଁ ରଣର ତାଣ୍ଡବ !

ଧୂର୍ଜଟିର ସାଥେ ଆଜି ହସିବି ମୁଁ ଜଗତ କମ୍ପାଇ,

ଭୈରବ ଚିତ୍କାରେ ଆଜି ହୁଙ୍କାରିବ ଗଗନ ଥରାଇ !

 

 

ଧ୍ୱଂସର ମୁଁ ଅଗ୍ରଦୂତ ଚକ୍ଷୁରେ ମୋ’ ପ୍ରଳୟର ଦୀପ୍ତି –

ହାସ୍ୟରେ ମୋ’ ଅମଙ୍ଗଳ –

କ୍ରନ୍ଦନରେ ବିନାଶର ଭୀତି !!

ଅନଳ ମୁଁ – ଦହି ଦେବି ଆଜି ଦେଶ ସାରା –

 

ବନ୍ୟା ମୁହଁ ପ୍ଲାବିବି ଧରଣୀ,

ମଡ଼କ ମୁଁ – ବିନାଶିବି ଏ ଶ୍ୟାମଳ ସୃଷ୍ଠି

ଭୁ-କମ୍ପ ମୁଁ ଜନ୍ମାଇବି ପୁଣି ।

ରାହୁ ମୁହିଁ- ଗ୍ରାସିବି ଆଲୋକ –

 

ଶନି-ଗ୍ରହ ଉଦିଛି ମୁଁ, ଲୋକ ଭାଗ୍ୟେ ବ୍ୟାପିବ ବିପାକ !

ଦୁନିଆରେ ଯାହା କିଛି ‘କଦର୍ଯ୍ୟ’, ‘କୁତ୍ସିତ’

‘ଅନୀତି’ ଓ ‘ଅନାଚାର’ ‘ହେୟ’—

ସେ ସବୁ ସାଧିବି ମୁହିଁ ସମାଦରେ—

ସକଳ ମୋ’ ପ୍ରିୟ !

 

ହତ୍ୟା ଆଉ ଖୁଣି ପାଇଁ ନିଶାଚର ମୁହଁ ଆଗୁଆନ୍‌ --

ରକ୍ତର ଖର୍ପର ଆଜି ଶୁନ୍ୟ ମୋର

ହସ୍ତେ ଥରେ ବିଷାଣ କୃପାଣ !

 

 

ସୁରା ଆଉ ବାରାଙ୍ଗନା ପାଇଁ –

ଉଲଗ୍ନେ ମୁଁ ଶଯ୍ୟାଶାୟୀ ସୟତାନ, ଦୁଃସ୍ୱପ୍ନ ଦେଖଇ ।

ବକ୍ଷରେ ବିରାଟ କ୍ଷୁଧା, ଅତୃପ୍ତ ମୋ’ ସକଳ ଆକାଂକ୍ଷା,

ନିଷ୍ଫଳ ବିଫଳ ମୋର ଶତ ଆଶା –

ମାଗିଯାନ୍ତି ନିଜ ‘ଦାବୀ’ ଭିକ୍ଷା –

ମୁକ ମୌନ ଇନ୍ଦ୍ରିୟେ ମୋ’ ରଚିଯାନ୍ତି ତାଙ୍କ ପଟୁଆର –

ଶରୀର ମନ୍ଦିରେ ତେଣେ ଉଠେ ଆଜି –

ଜୟ ଜୟ ଆଦିମ ମନର !!

ଉଗ୍ର ମୋ’ ପୌରୁଷ ତେଣେ ଅସମ୍ଭାଳେ ଛାଡ଼େ ସିଂହ ରଡ଼ି –

ଆହତ ଆବଦ୍ଧ ମୋ’ର ମାନବତ୍ୱ

ହସ୍ତ ପଦୁଁ ଛିଡ଼ାଏ ତା’ ବେଡ଼ୀ !

ମୁକ୍ତିର ନିଶାରେ ଆଜି ମତୁଆଳ –

ଅବୟବେ ସରବେ ମୋହର –

ଝଡ଼ର ଯୋଗରେ ତାଙ୍କ ଅଭିଯାନ ରଚିବେ ସେ –

ବାତ୍ୟାରା ସେ ରଖି ଗତି, ତାଳ !

ଉଲ୍‌କା ବେଗେ ନାଚିବେ ସେ’ – ତୀବ୍ର –

ସୌର ତେଜେ ଦହିବେ ଜଗତ,

ଅବହେଳିତର ଯୁଗ ଆସିଛିରେ ଆଜି,

‘ଅନାଦୃତ’ ହୋଇଛି ଜୀବନ୍ତ !!

 

ଆବାହନ

ଖୋଲ ଦ୍ୱାର, ଖୋଲ ଦ୍ୱାର

ବେଗେ ଦ୍ୱାର ଖୋଲ ଗୋ’ ସଜନି

ମୁକ୍ତ ଏ ମାନବତାରେ

ବରି ନିଅ ଆଜି ଗୋ’ ରଜନି !

ଉଗ୍ର ଏ ପୁରୁଷ ପଦେ

ଅତି ସ୍ନେହେ ଅର୍ଘ୍ୟ ତବ ଦିଅ,

ପାତକକୁ କୋଳ କରି

‘ସତୀତ୍ୱ’ କୁ ଭୀରୁ ତଳେ ଥୁଅ !

କଳଙ୍କକୁ ଆଦର ଗୋ

ଚରିତ୍ରରେ ବୋଳି ଦିଅ କାଳି,

ନୀତିବାଦ ସୀମା ବାଧା ଏଡ଼ି

ମୁକ୍ତ ଏହି ପୁରେ ଆସ ଚଳି ।

ଆଲୋକର କାରା ତେଜି

ମୁକ୍ତିର ଏ ଅନ୍ଧାର ପ୍ରାନ୍ତରେ,

ଗୃହଣୀର ସୀମା ଡେଇଁ

ଆଗୋ ‘ବେଶ୍ୟା’ ଚଳ ସମାଦରେ !

 

ତୁମେ ଆଗୋ ଝଡ଼ର ବନିତା—

ତୁମକୁ ଡ଼ାକୁଛି ଏହି ଯୁଗ ପରା –

ତୁମେ ତା’ କରତା !!

ତୁମେ ପରା “ଅସତୀ” ଗୋ

ଦେବ ଆଳେ ନାହିଁ ତୁମ ଥାନ,

ତୁମ ପାଇଁ ସଜା ସିନା ଏହି ଆଖଡ଼ା ଗୋ,

ତାର ତୁଲେ କାଟିବାକୁ ଦିନ !

ମନ୍ଦିରର ବନ୍ଧା ଗତ, ଆଇନ୍‌ କାନୁନ୍‌

ନିୟନ୍ତ୍ରିତ ବିଧି ବଦ୍ଧ ଗତ,

କଥା କଥାକରେ ଯହିଁ ଟାକିଛନ୍ତି ରହି

ଧର୍ମ ଆଉ ସମାଜ ଓ ନୀତି –

ସେ’ ସବୁ ଗୋ’ ତୁମ ଲାଗି ନୋହେ—

ଭିତରରେ ପଶୁ ସେହି

ବାହାରକୁ ଦେବତା ଦୋଲାଏ !!!

ତାହାର ନୀତିରେ ଯଦି

ତୁମେ ଆଜି ‘ଦୁଶ୍ଚରିତ୍ରା’ ହୁଅ,

ହେଲେ ହେଉ ତାହା ପଛେ

ସେ ପଦବୀ ସ୍ନେହେ ବରିନିଅ !

 

କଳଙ୍କର ଟିକା ପିନ୍ଧି ସାଦରେ ଗୋ –

ସେ’ ମନ୍ଦରୁ ହୁଅ ଆଗଭର,

ତୁମପାଇ ଏହି ଖଟୀ – ଏହି ଆଡ଼୍‌ଡ଼ା

ତାକୁ ଆଜି ଘୃଣାରେ ନ ଧର !

 

ସମାଜର ‘ଶ୍ରୀରାଧା’ ଗୋ

ନୁହ ପଛେ ‘ ଜଟିଳା’, ‘କୁଟିଳା’

ମୁକ୍ତ ଏହି ବ୍ୟଭିଚାରେ ବରିନିଅ

ନିଷ୍ଠାରେ ଗୋ ବୀରା !

 

ଏ’ ଖଟୀର ଆଡ଼୍‌ଡ଼ାରେ ଗୋ

ଏ ସୈତାନୀ ଆନନ୍ଦ ଭିତରେ,

ମଗ୍ନ ହେବା ପାଇଁ ଆଉ ଲଜ୍ଜା କିବା

ଭାବ କି ମନରେ ?

 

ଏ’ ଖଟିର ହାସ୍ୟରେ ଗୋ

ବନ୍ଧା କିଛି ନାହିଁ, ସବୁ ମୁକ୍ତ,

ପାପ ଯାହା ପୁଣ୍ୟ ତାହା

ସତ୍ୟ ମିଥ୍ୟା ସମସ୍ଥାନ ଯୁକ୍ତ !

 

ଏ ଆନନ୍ଦେ ଭୀରୁତାର

ତିଳେ ନାହିଁ ଆଶଙ୍କା ମନରେ,

ସାମାଜିକ – ଦାଢ଼ିବାନ୍‌

ନାଲି ଆଖି କାହିଁ କେତେ ଦୂରେ !

 

ଆଦିମ ମଣିଷ ମନ

ଏଠି ପରା ଶ୍ରେଷ୍ଠ ଥାନ ପାଏ ,

‘ଧର୍ମ’ ନାହିଁ – ‘ନୀତି’ ନାହିଁ

କୃତ୍ରି ମତା ପଦେ ଦଳା ହୁଏ !

 

ପାପର ଏ ପୂଜା ଭୂମି

ପୁଣ୍ୟ ପୁଣି ଆହୂତ ସାଦରେ,

ପବିତ୍ରତା କୁତ୍ସିତତା

ସମାଦୃତ ସ୍ୱତନ୍ତ୍ର ବଧିରେ !!

 

ଆଗୋ ଋଦ୍ରା – ତୋ ମତ୍ତ ଝଟିକା,

କି ଭାବନା କି ସନ୍ଦେହ

ଦ୍ୱାର ଦେଶେ ହୋଇ ରହ ଥକ୍‌କା !

 

ତୁମକୁ ଡାକୁଛି ପରା ଏ ଆଖଡ଼ା

ବେଗେ ବେଗେ ଭିତରେ ଯା ଆସ,

ଗୁଣ୍ଡାମୀର ଆଡ଼୍‌ଡ଼ା ଭୁମି ଏହି ଅଟେ

ମନେ କିଛି ନ ଜନ୍ମାଅ ତ୍ରାସ !!!

 

“ବେଶ୍ୟାର ମନ୍ଦିର” ବୋଲି

ଯଦି କିଛି ରଖିଛ ମନରେ,

ବିନୟେ କହୁଛି ବନ୍ଧୁ !

ଫେରି ଯାଅ – ଯାଅ ଅତି ଦୂରେ !

 

ସୈତାନୀର ଲୀଳା ଏଠି

ମନେ କିଛି ଆଶଙ୍କା ନ କର,

ପାରିଲେ ଭିତରେ ଆସ

ଅବା ଘେନି ଶେଷ ନମସ୍କାର !

 

ମାତ୍ରା ଏହା ରଖି ଯାଅ ମନେ –

ଆଗାମୀର ଋୂପକାର ଏହି ଆଡ଼୍‌ଡ଼ା

ସମାଜର ଦିନେ ।

ଏହି “ ଅରଣ୍ୟ ରୋଦନ”

ଆଜି ଯାରେ ପରିହାସ କର,

ତାହାରି ଆଶ୍ରୟେ ଦିନେ

ଇତିହାସେ ହେବେ ଯୁଗାନ୍ତର !

 

“ଦ୍ରୌପଦୀ”

ଆଗୋ ଯାଜ୍ଞସେନି !!

ତୁମରି ପବିତ୍ର ନାମେ ଆଜି ଯେଉଁ କମ୍ପଇ ଅବନୀ –

ତୁମରି ନାରୀତ୍ୱ ନାମେ ହିନ୍ଦୁତ୍ୱର ନମ୍ରେ ଉଚ୍ଚ ଶିର,

ତୁମରି ବନ୍ଦନା ଗାନେ ଶାସ୍ତ୍ର ମୁଖ ଆଜି ତା’ ମୁଖର !!

କୋଟି କୋଟି ହିନ୍ଦୁ ମନ୍ଦିରେ ଆଜି ରାଜେ ତୁମରି ବ୍ୟକ୍ତିତ୍ୱ,

କୋଟିକଣ୍ଠ ମନ୍ଦ୍ର ଉଠେ ଜୟ ଜୟ ଦ୍ରୌପଦୀ ସତୀତ୍ୱ !!

କୋଟିଏ ହିନ୍ଦୁ ଲାଳନା ନତଜାନୁ ବାସ୍ପଋଦ୍ଧ କଣ୍ଠୀ,

ତୁମରି ଆଦର୍ଶ ଗଳେ କାନ୍ଦି ଗଡ଼ି ବାଢ଼ନ୍ତି ମିନତୀ !

ତୁମ ପତିବ୍ରତା ଗାଥା ହିନ୍ଦୁବାଳା ଶିଖେ ବିଦ୍ୟାପିଠୁଁ,

ତୁମ ଆଚରିତ ଧର୍ମ ଆର୍ଯ୍ୟବଧୂ ଅନୁସୃତ ବସ୍ତୁ !!

ପୌରାଣିକା ଆଗୋ ମହାସତି,

ମୋହରି ବିଚାରେ ଏକା ତୁମେ ଅଟ ନିଖିଳେ ଅସତୀ !!

ଗୁରୁଜନ ଅନ୍ଧ ଆଜ୍ଞା ମାନି ଯେହୁ ଆପଣା ନାରୀତ୍ୱ,

ମାଂସ ସମ କରି ଦେଇ ପାଞ୍ଚ ଭାଗ ନିର୍ବିକାର ଚିତ୍ତ,

ସାମାଜିକ ତୃପ୍ତିକୁ ଯେ ଭୀରୁ ସମ ବରିଛି ସାଦରେ,

କର୍ଦ୍ଦମକୁ ତୀର୍ଥ ରେଣୁ କରିଲା ଯେ ସମାଜ ବିଧିରେ !!

 

ପୁରୁଷକୁ ପୁଷ୍ପ ବୋଲି ମାନି ନେଲା ପରି-ତୃପ୍ତି ଲାଗି,

ତାହାରି ବାହାବା ନାମେ ଘୃଣା ନିନ୍ଦା ଉଠେ ମୋର ଜାଗି !!

ସେହିବନ୍ଧା ପୁଣ୍ୟ ଲାଗି –

ସାମାଜିକ ସେ ସତୀତ୍ୱ ନାମେ,

ମୋହରି ଅନ୍ତରେ କିଆଁ

ତୀବ୍ରେ ଆଜି ଅବସାଦ ଜନ୍ମେ !

 

ମୁରବ୍‍ବି ଆଦେଶେ ଯହିଁ ଭ୍ରମଟାକୁ ସତ୍ୟ ଗଣାହୁଏ,

ସାମାଜିକ ନୀତି ଯହିଁ ପାପଟାକୁ ପୁଣ୍ୟ ବୋଲି କହେ,

ହେଉ ପଛେ ପାପ ତାହା – ବାସ୍ତବରେ ହେଉ ବ୍ୟଭିଚାର,

ନେତୃତ୍ୱ ଆଇନ ବୋଲି ପବିତ୍ର ଯା’ ଘୃଣିତ ପଙ୍କିଳ !!

 

ମିଥ୍ୟା ପଛେ ସତ୍ୟହେବ – ଦିବା ହେବ ତାମସୀ ରଜନୀ,

ଧାର୍ମିକର ‘ବାକ୍ୟ’ବୋଲି ବିବେକକୁ କରାଗଲା ତୁନି !

ମନୁଷ୍ୟର ଅଧୋଚିତ ସହ୍ୟ ପଛେ ହେବ,

ନ ଟଳିବ ନେତୃତ୍ୱ ବଚନ,

ସଂସାରର ସତ୍ୟ କଲା

ପ୍ରଭୁତ୍ୱର ତରାଜୁ ଓଜନ !

 

 

 

ଆଜି ତେଣୁ କ୍ଷୋଭ ମୋ ଜାଗଇ,

ସାମାଜିକ ଦ୍ରୌପଦୀଙ୍କୁ ସତୀ ତଳେ ତେଣୁ ନ ଗଣଇ !

ତାଙ୍କରି ନାରୀତ୍ୱ ପାଇଁ

ସନ୍ଦେହେ ମୋ’ ଭାଷା ନୀରବିତ,

ବିବେକ ନିଶ୍ଚଳ ଯହିଁ

ସ୍ୱେଚ୍ଛାଚାର ଲଭିଛି ରାଜତ୍ୱ !!!

 

ଦେହର ଲୀଳା

ଏ’ ଦେହର ଲୀଳା ପାଇଁ ସୃଷ୍ଟି ମୋର

ମୁହିଁ ତା’ର ଦାୟୀ,

ପ୍ରବୃତ୍ତି ପ୍ରଣୟ ଲାଗି ଲୋଡ଼ା ଯା’ର

ମୁହିଁ ତା’ ପ୍ରଣୟୀ !

ଦେହର ସ୍ତାବକ ମୁହିଁ

ଗାଏ ଉଚ୍ଚେ ତାହାରି ବନ୍ଦନା,

ଏ ଦେହର ଦାବୀ ସ୍ତୋତ୍ର

ଘୋଷିବାକୁ ସ୍ପଷ୍ଟ ଏ ରଚନା !!

ଏ ଦେହର କବି ମୁହିଁ,

ପୁଣି ଏହି ଆତ୍ମାର ଚାରଣ,

ଇନ୍ଦ୍ରିୟ ପୂଜକ ମୁହିଁ

ତାହାଲାଗି ମୋହରି ଜୀବନ !!

ଏ’ ଶରୀର ଅଧିକାରୀ

ମୁହିଁ ପୁଣି ତା’ର ଅନୁଗତ,

ଏ’ ଦେହର ସବୁ କ୍ଷୁଧା – ସବୁ ତୃଷ୍ଣା

ମୋ’ ପାଶେ ଜୀବନ୍ତ !!

 

ଏ ଦେହର ସବୁ ଦାବୀ

ମୋହ ତୁଲେ ସମସ୍ଥାନ ପାଏ,

ଘୃଣିତ ପବିତ୍ର କିବା

ସବଳ ମୁଁ ସମ ଭାବେ ନିଏଁ !!

 

ବୃହତ୍ ସାମାନ୍ୟ ଯାହା

ସମସ୍ତର ସମ ଅଧିକାରୀ,

ମୋହ ପାଶେ ମୁଲ୍ୟବାନ୍‌

ଶରୀରର ସବୁ ଆଜ୍ଞା ଅଳି !!

 

ଏ’ ଦେହ ପ୍ରେମିକ ମୁହିଁ

ଏ ଇନ୍ଦ୍ରିୟ ପ୍ରଣୟିନୀ ଯେଣୁ,

ସକଳ କର୍ତ୍ତୃତ୍ୱ ତା’ର

ନତ ଶିରେ ମାନି ନିଏ ତେଣୁ !!

 

ଏ ଦେହକୁ ଉଚ୍ଚେ ଟେକେ

ଏ’ ଆତ୍ମାକୁ ଦିଏ ଶ୍ରେଷ୍ଠ ସ୍ଥାନ,

ଏ ଶରୀର ଲୀଳା ଲାଗି

ମୁହିଁ ଆଜି ସର୍ବ- ଶକ୍ତିମାନ୍‌ !!

 

ମୋହରି ବ୍ୟକ୍ତିତ୍ୱ ସତ୍ୟ,

ମୋ’ ବିଚାରେ ମିଥ୍ୟା ଏ ଧରଣୀ,

ତା’ର ଅଭିଯାନ ପାଇଁ

ବାଧା ବନ୍ଧ ନ ପାରୁଛି ଗଣି !!

 

ଏ ଶରୀର ଯାତ୍ରା ପାଇଁ

ମାନେ ନାହିଁ ଲୌକିକତା ବାଡ଼,

ସାମାଜିକ ‘ନାହିଁ’ ନାହିଁ

ଧାର୍ମିକର ଭାଙ୍ଗର ନିଗଡ଼ !!

 

‘ଚିରାଚାର’ ମାନେ ନାହିଁ,

ଜାଣେ ନାହିଁ ଶାସନ ପରର,

ମୋହରି ଜୀବନେ ପଥେ

ସଂସାରର ନାହିଁ ଅଧିକାର !!

 

ଲୌକିକ “ବାହାବା”ଶିରେ

ଘୃଣା ଭରେ ପଦଟି ମୋ ଥୁଏଁ,

ଯୌନପୁନିକତା ସୀମା

ଦୁନିଆରେ ଫିଙ୍ଗି ମୁଁ ଆଗାଏ !!

 

 

ମୋ’ ବିଚାରେ ମୁହିଁ ଆଗ

ମୋହ ପଛେ ପଡ଼ୁ ସେ’ ଧରଣୀ,

ତେଣୁ ହିଁ ପଥର କିଛି ବାଧା ବିଘ୍ନ

ନ ପାରୁଛି ଗଣି !!

 

ମୋ’ ସୃଷ୍ଠିର ମୁଁ ସମ୍ରାଟ,

ମୋର ଇଚ୍ଛା ଆପଣା ଆଦର୍ଶ,

ଉଗ୍ର ମୋ’ ମାନବତ୍ୱର

ପରାଜୟ ନ ଲିହିବି ଲେଶ !!

 

ଯୌବନ

ମିଛ ତ କହିଲି –

ସେଦିନ ବନ୍ଧୁ ହେ ଯାହା ତୁମ କୁଞ୍ଜେ ବାସର ରଚିଲି ‌‌--

ବାସନ୍ତୀର ମଧୁ- ଲଗ୍ନେ, ଫୁଲ – ହାସେ ଆପଣେ ବିହ୍ୱଳି,

ହୃଦୟର ଅର୍ଘ୍ୟ ଭରି ତୁମ ପୁରେ ଜାଳିଲି ଦିପାଳୀ ।

ପୁଷ୍ପ- ତଳ୍ପେ—ଜ୍ୟୋତ୍ସ୍ନା – ରାସେ – ମଳୟର ମୃଦୁଳ ହିଲ୍ଲୋଳେ,

କରିଲି ଯେ “ଅଙ୍ଗୀକାର” ରଜନୀର ନିଘଞ୍ଚ ନିରୋଳେ –

ରଚିଲି ଯେ ‘ପ୍ରେମର କବିତା’ –

ସ୍ମୃତି ଆଜି ତିଳେ ନାହିଁ ମିଥ୍ୟା କିବା ତାହା ବାସ୍ତବତା !!

 

ଜୀବନର ରିକ୍ତ ବ୍ୟଥା ଖାଲି ହୁଏ ଛଟପଟ,

ପ୍ରାଣୀର ମନ୍ଦିରେ କ୍ଷୀଣେ ବାଜି ଉଠେ ତାହାରି ସଂଗୀତ !

ତାହାରି ଗୋ ଅପମାନ – ତାହାରି ଯେ ନିଷ୍ଠୁର ଲାଞ୍ଛନା,

ଦୁନିଆର ନିର୍ଯ୍ୟାତନ ପ୍ରାଣେ ମୋର ଜଗାଏ ଯାତନା !!

 

ତେଣୁ ଆଗୋ ମୂକ ମୁଁ ବଧୀର –

ଜୀର୍ଣ୍ଣ ସେ’ କୁଟିରେ କେବେ ଗୁଞ୍ଜରେ କି ପୁରବୀର ସ୍ୱର ?

ନିଃସ୍ୱର ଜଡ଼ତ ଶ୍ୱାସ – ପିଡ଼ୀତର ଆର୍ତ୍ତ ହାହାକାର –

ରକ୍ତର ଉଜ୍ୱଳେ ଯହିଁ ସ୍ମୃତିକୋଷେ ପ୍ରଜ୍ୱଳିତ ମୋର –

ତହୁଁ ଆଗୋ ତୁମ ନାମ ରାଣି –

ନିଷ୍ପ୍ରଭତା ପରାଜୟେ କାହିଁ କେବୁ ନେଲାଣି ମେଲାଣି !

 

କଣ୍ଟକିତ ବନ ପଥେ ତୁମର ଗୋ’ ଚାରୁ ପଦ-ଚିହ୍ନ,

ଫୁଲ ଆସ୍ତରଣେ ନୋହେ ତାହା ପରା ଋକ୍ଷ ଶମସାନ !!

ଦିନକର ସତ୍ୟ ଯାହା ଆଜି ତାହା ଚିର ଅବିଶ୍ୱାସ,

ଦିନକର ଗର୍ବ ପୁଣି ଆଜି ମହା ଅପମାନେ ହ୍ରାସ ।

ହୁଏତ ବା ହୋଇପାରେ ତୁମ କଥା ସତ୍ୟରେ ଗଣନ,

ଜୀବନର କେଉଁ ଯୋଗେ କାଟିଥିଲି ତୁମ ସାଥେ ଦିନ –

କେତକୀର ଅଗ୍ରମୁନ – ଗୋରଚନା ଲେପପାତ୍ରେ ଦଳି –

 

ହୁଏ ତ ମୁଁ ଆଙ୍କିଥିଲି ତୁମ ନାମ “ସ୍ମୃତିର ସଂଙ୍ଖାଳୀ “

ମାତ୍ର ଆଜି, ଅସ୍ୱୀକାର ମୋର –

ତେବେ ସେ ସ୍ମୃତିରେ କହି କିବା ଲୋଡ଼ା କିବା ଅଧିକାର ?

ମୋତେ ତ ଡାକୁଛି ତେଣୁ ରୁଗ୍ଣଶିଶୁ ପଳିତ କଙ୍କାଳ,

ଦୈନ୍ୟର କାତର ବ୍ୟଥା ମୋର ପରା ଆକର୍ଷଇ କର,

ନିଃସ୍ୱ ତା’ ଦୁର୍ବଳ କଂଠେ ମୋର ଲାଗି କାନ୍ଦି କାନ୍ଦି ମରେ,

ପୀଡ଼ିତ ଆହତ ସ୍ୱରେ ମୋର ନାମ ଉଚ୍ଚାରଣ କରେ !

 

 

 

ଶୋଷିତ ମୋ’ ମୁଖ ଚାହିଁ ବାରମ୍ବାର ଗଡ଼ାଉଛି ଲୁହ,

ଏ ସବୁର ପ୍ରତିରୋଧ କେମନ୍ତେ ବା କରିପାରେ କହ ?

ମୋତେ ତ ଡାକୁଛି ଆଗୋ ମଶାଣିର ପ୍ରଳୟ ଅନଳ,

ମରଣର ଲୌହ ହସ୍ତ ଦୃଢ଼େ ମୋର ଆକର୍ଷଇ ବାଳ ।

ମୋତେ ତ ଡାକୁଛି ମାଟି, ଶୁନ୍ୟନଭ ଛାଡ଼େ ମହାରଡ଼,

ମୋର ରୂପ ଖୋଜି ବୁଲେ ବାୟୁ, ବିଶ୍ୱ ରନ୍ଧ୍ରେ ରନ୍ଧ୍ରେ ଉଡ଼ !

ମୋତେ ଲୋଡ଼େ ବନଗିରି, ଲୋଡ଼େ ପୁଣି ନଦୀ ଉପତ୍ୟକା,

ପୃଥ୍ୱୀ ତଳେ, ଗିରି ଶୃଙ୍ଗେ ମୋର ପୁଣି ପଡ଼ିଅଛି ଡକା !

ମୋତେ ଚାହେଁ ଝଡ଼ ବୃଷ୍ଟି, ଚାହେଁ ପୁଣି ରୁଦ୍ର ଘଡ଼ଘଡ଼ି,

ଜ୍ରୋଷ୍ଠ ତତଲା ଝାଞ୍ଜି ମୋ’ ଅଙ୍ଗନେ ମରେ କାନ୍ଦି ଗଡ଼ି !

ଶୀତର ଶୀକର ଚାହେଁ – ବସନ୍ତ ତ ଚାହେଁନାହିଁ ମୋତେ,

ଏହିତ ମୋ ଜୟ ଟୀକା, ଏହି ମୋର ସଫଳତା ସତେ !

ମୋତେ ଚାହିଁ ଧ୍ୱଂସ ପୁଣି ଚାହିଁ ମୋତେ ସୃଜନର ଲୀଳା,

ମୁହିଁ ମହାକାଳ ପୁଣି, ମୋ ଭବନ ସୃଷ୍ଟି ଶିଳ୍ପ – ଶାଳା ! !

ମୁହିଁ ଅଟେ ବଂଶୀ ତାର, ମୋହସ୍ୱରେ ସୃଷ୍ଟିର ରାଗିଣୀ .....

ମହାକାଳ ଶିଙ୍ଗା ମୁହିଁ, ମୋ’ ଫୁତ୍କାରେ ମୃତ୍ୟୁ ମହାବାଣୀ ! !

ପ୍ରଳୟର ଅଗ୍ର ଦୂତ ଅଟେ ପୁଣି ସୃଷ୍ଟି ନଟରାଜ –

ଅଗ୍ନି, ପୁଣି ଶୀକର ମୁଁ, ମୋହ ତୁଲେ ପୃଥିବାକି ହେଜ !

ତେଣୁ ଆଗୋ ‘କମଳ-କୁମାରି’ –

ପୁଷ୍ପର କୋମଳ ସୁତ୍ରେ ମୋତେ ଆଉ ନପାରିବ ଧରି !

 

ଗୋଲାପଟି ତୁମେ ରଖ କଣ୍ଟା ତୋଳି ଦିଅ ମମ କରେ,

ଚନ୍ଦନର ଚିତ୍ର ପୋଛି ରକ୍ତ ଟିକା ଦିଅ ପ୍ରେମ ଭରେ !

ଆଉ ନୁହଁ ମୁଁ ଗୋ ଚିତ୍ରକର –

‘କମଳ- ବିଳାସୀ ‘ବୋଲି କବି, ବାରେ ନାମ ମୋ’ ନ ଧର !

 

ରସଜ୍ଞ ତ ନୋହେ ଆଜି, ଖାଲି ମୁହିଁ କଂସେଇ କେବଳ,

ସଙ୍ଗୀତ ନମୋ ହୃଦେ ନାହିଁ, ଅଛି ମାତ୍ର ବେଦନାର ରୋଳ !

ହସ୍ତ ଛାଡ଼ ତେଣୁ ଗୋ ସୁନ୍ଦରି –

ପ୍ରଳୟର ସେ’ କମ୍ପନେ ନାହିଁପାରେ ଆଉ ଥୟ ଧରି !

 

ବାହୁନି ଲୋଡ଼ଇ ମୋତେ ରେଙ୍ଗାମର କୁଲିର ରମଣୀ,

ରୁଗ୍ଣ ଶିଶୁ କାନ୍ଦି ଉଠେ କ୍ଷତେ ତାର କୃମି ଦଂଶିବେଣି;

ନିରନ୍ନ ଶ୍ରମିକ ମେଳେ ମୋ’ ଅଭାବେ ପଡ଼େ ତୀବ୍ର ହୁରି,

କଳର ମାଲିକ କ୍ରୋଧେ ମୋ’ ଉପରେ ଦାନ୍ତ ହୁଏ ଝୁଣି !

 

ସର୍ବହରା ହାହାକାର ମୋତେ କିବା ଇଙ୍ଗିତ କରଇ,

ନିର୍ଯାତିତ ଖରଶ୍ୱାସ କାନେ ମୋର କିବା ଯାଏ କହି !

ଚଟକଳ ଶିଶୁ କୁଲି ସକରୁଣ ଜଳ ଜଳ ଦୃଷ୍ଟି,

ଏ ସବୁର ବିଭୀଷିକା – ତିଳେ ମୁହିଁ ପାରିବି କି ତିଷ୍ଠି ?

ନିଘଞ୍ଚ କାନନ କୋଳେ ଅନାଥିନୀ ଆର୍ତ୍ତ ହାହାକାର,

ମନୁଷ୍ୟତା ଯହିଁ ଖାଲି ଶାସକର ବିଳାସ ସମ୍ଭାର ! !

 

ଉଆସର ତୁଙ୍ଗ ଶିଖା ମୋତେ କିବା ନିର୍ଦ୍ଦେଶ କରଇ,

ଇଟାର ନିର୍ଜୀବ ବକ୍ଷେ ମୁହିଁ କାର କ୍ରନ୍ଦନ ଶୁଣଇ !

ଶୁନ୍ୟ ଏ କୁଟିର କହେ ମୋ’ର କାନେ ଶତ ଅତ୍ୟାଚାର,

ନଦୀର ଗହ୍ୱର ବୋଲେ ଲାଞ୍ଛନାର ମୁହିଁ ଗୋ କବର !!!

 

ମନୁଷ୍ୟର ବର୍ବରତା – ମନୁଷ୍ୟର ବିଭିତ୍ସ ବିଳାସ –

ଆଜି ଏ ନଗର ଚୂଡ଼େ ତୋଳିଛି ଯେ ନଭସ୍ପର୍ଶୀ ଶିଖ,

ନିଷ୍ପ୍ରଭ ଏ କୁଶରାଜି ଜୀର୍ଣ୍ଣ କେହି ଅବା ଭଗ୍ନ ପ୍ରାୟ,

ସବୁରି ବିଭ୍ରାଟ ଲୋଟି ମନୁଷ୍ୟର ଏ କି ଶେଷ ହାୟ !

 

ଏ ବାୟୁର ପରମାଣୁ କହେ ମୋତେ କୁତ୍ସିତ କାହାଣୀ,

ହୃଦୟର ରନ୍ଧ୍ରେ ରନ୍ଧ୍ରେ ଜାଗେ ତେଣୁ ତାର ପ୍ରତିବାଣୀ ! !

ଯାତ୍ରା ତେଣୁ ଫାସି ଖୁଣ୍ଟ ଦିଗେ –

ଯୌବନର ଶେଷ ସ୍ନେହ ରାଣି ଆଜି ଘେନ ମୋ’ ସରାଗେ !

 

ଜୀବନର ଶେଷ ଯାମେ ନେତ୍ରେ ତବ ଜଳଧାର ଦେହି,

ସଫଳତା ଏହି ମୋର ଜୀବନର ଶ୍ରେଷ୍ଠ ଅର୍ଘ୍ୟ ସଖି ! !

 

ଅଭିଯାତ୍ରୀ –

ତୁମେ ସିନା ଦେଖ, ଶୟନେ ସ୍ୱପନେ

ସୁନ୍ଦରୀ ଷୋଡ଼ଶୀ ମଧୁ-ଶୋଭା,

ମୁଁ ଦେଖେ କଙ୍କାଳ-ମାଳିନୀ ମାଆର

ଲୋତକାର୍ତ୍ର ମୁଖ ମ୍ଳାନ-ଆଭା ।

ତୁମକାନେ ସିନା ବାଜେ ଅହରହ

ନୂପୁର-ନିକ୍ୱଣ ତରୁଣୀର,

ମୋହ କାନେ ବାଜେ ଯୁଗ-ବିପ୍ଲବୀର

ଅଟ୍ଟହାସ୍ୟ-ଅସ୍ତ୍ର ଝଣତ୍କାର ।

ତୁମ ପାଇଁ ତବ କାମିନୀ ସାଜିଛି

ହୃଦୟେ ପ୍ରେମର ପୁଷ୍ପ-ଦୋଳି,

ମୋ’ ପାଇଁ ଶତ୍ରୁର ନିର୍ଜନ ଶ୍ମଶାନେ

ଚଣ୍ଡିକା-ମନ୍ଦିର-ଅରଗଳି !!

ତୁମକୁ ଡାକଇ ନନ୍ଦନ-କାନନୁଁ

ପାରିଜାତ ମଳୟର ବାତେ,

ମୋ’ ପାଶେ ପେଶଇ ଅଭିଯାନ ବାଣୀ

ମହାକାଳ-ଦୂତ ଝଂଜା ହାତେ ।

 

ତୁମ ପାଇଁ ସଜା ତୁଳିକାର ଶେଯ

ଫୁଲ ଆସ୍ତରଣ ତଥିପର,

ରାଜପୁତନାର ତପତ ବକ୍ଷରେ

ନାଚିବାକୁ ମୋର ଅଭିସାର ।

 

ତୁମ ଆଗେ ଘୋଷେ ନିକୁଂଜ- ଶାରିକା

ଦର ବିରହିଣୀ ପ୍ରିୟାନାମ,

ମୋତେ ଡାକି କହେ ପିଞ୍ଜରା- ବନ୍ଦିନୀ

ଜନନୀ, “ବାବୁ କି’ ତୁ ଅଧମ “ !

 

ଆଷାଢ଼ ନିଶୀଥେ ଝଂଜା- ବଜ୍ର ପାତେ

ହୃଦେ ତବ ଜାଗେ ପ୍ରିୟା-ସ୍ମୃତି,

ମୁଁ ଭାବେ ଆଜିକି ସ୍ୱୟଂ ଧ୍ୱଂସକର୍ତ୍ତା

ହୁଁକାରି ମୋତେ ବା ଲୋଡ଼ୁଛନ୍ତି !

 

ପଉଷ ରାତିରେ ତୁମେ ସୁଖେ ଶୁଅ,

ପ୍ରଣୟୀ ତନ୍ୱୀକୁ କ୍ରୋଡ଼ କରି,

ମୁଁ ପହୁଡ଼େ ସଖା, ପ୍ରିୟ କରବାଳେ

ହୃଦୟେ ନିବିଡ଼େ ଯାକି ଧରି !

 

ମଳୟ-ଉଦ୍ୟାନୁଁ ଲୋଧ୍ରରେଣୁ ହରି

ତୁମେ ତୁମ ପ୍ରିୟା ଗଣ୍ଡେ ମାଖ,

(ମୋର) ତପ୍ତ ବୁକୁ ରକ୍ତେ ରଂଜାର ପ୍ରିୟଙ୍କୁ

ମୁଁ ବଢାଏଁ ମୋ’ ବସନ୍ତ ସୁଖ !

 

ରୌଦ୍ର ମଧ୍ୟାହ୍ନେ, ତପନ କିରଣେ

ତୁମେ ଡାକ, “ସଖା ! ମଲି, ମଲି’’

ମହାକାଳ ହସ୍ତେ ହସ୍ତ ଛନ୍ଦି ରଖି

ମୁଁ ତହିଁ ରଚଇ ବୀର- କେଳୀ !!

 

ଉଲ୍‌କା ଖସିଲେ, ବାତ୍ୟା କମ୍ପିଲେ

ହସିଲେ ଆଗ୍ନେୟ ଗର୍ଭ ଗିରି,

ତୁମ ପାଇଁ ଯାହା ଅଶାନ୍ତି- ନିଳୟ

ମୋହ ପାଇଁ ତା’ ଉତ୍ସବ- ପୁରୀ ! !

 

ବ୍ୟଗ୍ରତା –

ଛାଡ଼ ହସ୍ତ ଛାଡ଼ ସଖା ! ହୁଏଁ ଅସମ୍ଭାଳ,

ଆଉ ରଖି ନ ପାରିବ ଅନୁରୋଧ ତବ !

ଗର୍ଜିଲାଣି ଝଂଜା, ଶୁଭେ ଦମ୍ଭୋଳୀ- ନିନାଦ –

(ଦିଗ୍ବିଜୟ କାଳେ ମୋର ଫୁଟେ ଅବା ତୋପ )

 

ପଦତଳେ କମ୍ପେ ପୃଥ୍ୱୀ, ସମ୍ମୁଖ ସାଗରୁ—

ଫେନ- ପୁଞ୍ଜ ଚୂଡ଼େ ଧରି ମହା ଉର୍ମ୍ମିମାଳା –

ଆସନ୍ତି ଗରଜି ଦର୍ପେ ! ତଥିପରେ ଆସେ –

ସଧୀରେ ଦୋହଲି ରକ୍ତ ଧ୍ୱଜାରେ ଲାଂଛିତ –

ମୋ’ ଯାତ୍ରା ବୋଇତ !

 

ଶୁନ୍ୟ ଅଂକେ ନେବେ ମୋତେ ବରି !

ଯାଅ ଫେରି ଗୃହେ ପ୍ରିୟା ମୋର !

ଏ ଋଦ୍ର ତୋଫାନ ତୁମେ କରେ ବିଚଳିତ !

ତେଣେ ପଥ ଚାହିଁ ଚାହିଁ ବାତ୍ୟାୟନ ମୁଖୀ –

ସୁନ୍ଦରୀ ସୁରଙ୍ଗୀ ପ୍ରାଣ ଯିବଣି ଶିହରି—

ଏ ପ୍ରଳୟ ବୃଷ୍ଟି ପାତେ –

ତୁମ ବିନେ ସଖି !

 

ହେବେଣି ଅଧୀରା ଫେରି ଘେନି କୋଳେ ତା’ରେ –

ପାଉ ସେ ଆରାମ ! ଯାଅ ଭୁଲି ମୋହ ନାମ !

ଏ ଚୈତ୍ର- ଯାତ୍ରକୀ ଚଳୁ ଏବେ ନିଜପଥେ –

ଯଦି ପଡ଼େ ଜୈତ୍ର ଯୋଗ ... ଏ ମରତେ ଦେଖା !

 

ସୈତାନର ଡ଼ାକ –

ବଜ୍ର ଶିଙ୍ଗାରେ ଶୁଣାଇ ଦେଲେଣି

ମହାକାଳ ଦୂତ- ‘ଚେତରେ ସେନା ‘!

ସୃଷ୍ଟି ଥରାଇ ଭୂକମ୍ପନ ଛଳେ

ସୁପ୍ତ ପରାଣେ ଦେଇ ଚେତନା ।

ମେଘେ ଡମ୍ବୁରୁ ଗୁଋ ଗୁଋ ବାଇ

ଉଲକାପୁଚ୍ଛେ ଲେଖି ବିପ୍ଲବ ମନ୍ତ୍ର,

ବାତ୍ୟା ଆଜିରେ ସେନାପତି ପଣେ

ଇତ୍ତେଜିତ ପ୍ରାଣେ କରଇ ନୃତ୍ୟ !

ରାତ୍ରିର ଚୂଡ଼େ ଉଡ଼ିଲାଣି ତେଣେ

ବିପ୍ଲବର ଦୀପ୍ତ ରକ୍ତାତ ବାନା

ଜାଗରେ ଜାଗରେ ନିଦ୍ରିତ ସୈନିକ

ରକ୍ତରେ ତୋର ଆଣ ଚେତନା !

ମଣିଷର ଶିଶୁ- ମଣିଷ ଡାକେରେ

ମଣିଷ କାମକୁ ହୁଅ ତିଆର,

ସ୍ୱାଧୀନ ତୋର ଉଗ୍ର ପ୍ରକୃତି

ଜଡ଼ତା ବନ୍ଧନୁ ମୁକତ କର ।

 

ମଣିଷ ପ୍ରାଣର ମଣିଷ ରକ୍ତର

ମଣିଷ ପରିରେ ବଂଚିବା ଦାବୀ,

ପ୍ରସ୍ତୁତ ହୁଅ ଅମୃତ ଶିଶୁରେ

ତୋ’ ଆକାଶ ଭାଲେ ରକ୍ତ ରବି !

 

ଉତ୍କର୍ଣ୍ଣ ହୋଇ ଶୁଣରେ ଦଳିତ

ତୋ’ ଡାକେ ଉଛୁଳେ ସାରା ଜଗତ,

ତୋ’ ପିଷ୍ଟ ସତ୍ତାର କରୁଣ କ୍ରଦନେ

ପ୍ରତିଧ୍ୱନି ଦିଏ ନିଖିଳ ଚିତ୍ତ !

 

ଧରଣୀର ଯେତେ ଦୈନ୍ୟ ଯାତନା

କଳୁଷ ପେଷଣ କଷଣ ରାଜି –

‘ଥିଲା’ ମଣିଷର ଶତ ମନ ପାଞ୍ଚ

‘ନଥିଲା-ପ୍ରାଣର ନୀରବ – ରାଜି ! !

 

ଶତାଦ୍ଦୀ ପାହିଛି ମ୍ଳାନ ଲଭିବ

ସବଳର ଲୌହ ଆଇନ୍‌ ଗାର;

ଶୁଣରେ ଗତାୟୁ ମହାଋଦ୍ର ବାଣୀ

ଅନ୍ତର ପ୍ରେତକୁ ଜାଗ୍ରତକର !

 

ଉଠରେ କ୍ଷୁଧିତ କ୍ରୁଦ୍ଧିତ ପ୍ରେତ

ମଣିଷ ମଡ଼ାର ଅନ୍ଧାର ତଳୁ,

ଆସରେ ରଚିବା ଅଭିଯାନ ଆମ ....

ଶବ୍ଦେ ଥରାଇ ଅଚଳ ମେରୁ !

 

ଆସରେ ମୋର ସୈତାନ ଭାଇଏ

ଦେବତା ଦେଶକୁ ଦେବାରେ ଧାଡ଼

ଚୁର୍ଣ୍ଣ କରିବା ଦେବତା କ୍ଷମତା

(ତାର) ପଦବୀ ମସ୍ତକ ପଦରେ ମାଡ଼ !

 

ଯେ ଦେଶ ଧନିକ ଦେବତା ବୋଲାଏ

ଶ୍ରମିକ ତାହାର ପୂଜାର ବଳି,

କ୍ଷମତାବନ୍ତର ଖର୍ପର ଯେ ଦେଶେ

ଅକିଞ୍ଚନ ରକ୍ତେ ପଡ଼େ ଚହଲି !

 

ଫରମାସ ମାନି ନୀତି ପୁରାଣର

ତସ୍କର ଯେ ଦେଶେ ବୋଲାଏ ରାଜା

ସେ ଦେଶକୁ ଆଜି ଆମର ଚଢ଼ାଉ

ସେ ଦେଶେ ବାଜିବ ଆମରି ବାଜା !

 

 

ଦୁର୍ବଳ ବୁକୁର ରୁଗ୍ଣ ଶୋଣିତେ

ଦୈତ୍ୟରସନା ନୋହେ ତୃପତ,

ଶୋଷକ ବୁକୁର ଠୁଳ ଗନ୍ତାଘରେ

ଭୈରବୀ ଆଜି ନାଚିବେ ଶତ !!

 

ମଣିଷ ବୁକୁର ମଦ୍ୟ ପିଇବେ

ମଣିଷ ମୁଣ୍ଡର ପାତ୍ରେ ଢାଳି,

ଦୈତ୍ୟ ତୃପ୍ତିରେ ନୃତ୍ୟ ରଚିବେ

ଦୈତ୍ୟ କୁତ୍ସିତ ବାସନା ଧରି !

 

ସୁରନାରୀ ପାଇଁ କଳହ ଆଜିରେ

ଦେବାଳୟ ହେବ ସୈତାନ ଖାନା,

ଦୈତ୍ୟ ମନର ପ୍ରତିହିଂସା ସାଧି

ହେବେ ଏ ପ୍ରାଣର ତୃପତି ସିନା !

 

ଗଣ –

ପୁଞ୍ଜିଭୁତ – ରାଷ୍ଟ୍ରଶକ୍ତି- ପଶୁମତି – ପୁଞ୍ଜିପତି ଧନାକାର କୋଣେ’

ଯାହାରେ ମାରିବା ପାଇଁ ଚେଷ୍ଟାକଲ ତା’ର ଆଜି ଅଭିଷେକ ଏଣେ !

ବୁର୍ଜୋୟାର କ୍ଷୁରଧାରେ ଯାର ଥରେ କାଟିନେଲ ଜିହ୍ୱା

ସମନ୍ତ ସାନ୍ଦନ ଚକ୍ରେ ଯାର ଅସ୍ଥି ଚୁରିଥିଲ ଆହା !

 

ସାମାଜିକ ପଦ- ବର୍ମେ ଯାରଦେହୁ ଉତାରିଲ ଚର୍ମ,

ଅଭିଜାତ ଅସିରେ ଯା’ ମାଂସଛେଦି କଲ ରେଣୁସମ !

ଶାଶକ ସଙ୍ଗିନ୍‌ ଭୁସି ବକ୍ଷୁ ଯାର ଅନ୍ତ୍ର ଓଟାରିଲ,

ମୁନିବର କୃପାଣରେ ଅଙ୍ଗକାଟି ବିକଳାଙ୍ଗ କଲ !

 

ଧର୍ମପତି ପଣେ ହୋଇ ଶ୍ୱାନ ଯା’ର ରୁଗ୍ଣଦେହୁ ଓଟାରିଲ ମାଂସ,

ଚକ୍ଷୁଖୋଳି ଭୁଞ୍ଜିବାକୁ ନୀତିଛଦ୍ମେ, ସାଜିଲି ବାୟସ ! !

ପୁରୋହିତ ଖର୍ପରରେ ଯାର ରକ୍ତ ନିଃଶୋଷି ଶୋଷିଲ,

ପୁଣ୍ୟ ଆଉ ଶୌରପଣେ କୀଟସମ ଯା ମାଂସ ଦଂଶିଲ,

ଯାହାର ହାସ୍ୟର ଲାଗି ଜଗାଇଲ ଦୁର୍ବାର ସଇନ,

ଯାହାର ଜୀବନ ସ୍ଫୁର୍ତ୍ତି ଶୋଷିନେଲା ବେୟନେଟ୍‌ ମୁନ !!

 

 

ଯାହାର ମଣିଷ ବୁକେ ଥରାଇଲା ତୋପର ଉଦ୍ମାର,

କମାଣ ଚମକେ ଯାର ବକ୍ଷୁ ପ୍ରାଣ କରିଲ ଅନ୍ତର!!

ନଳୀର ଗର୍ଜନେ ଯେଉଁ ମଣିଷକୁ ଗଢ଼ିଥିଲ ମାଛି,

ଆଜ୍ଞ—ତାର ପ୍ରାଣେ କରି କୌଶଳରେ ଭୂତଭୟ ସୃଷ୍ଟି !

ମଣିଷକୁ ପଶୁକରି ସୃଜି ତବ ଅନ୍ଧାରୀ କୌଶଳ,

ଶୋଷଣବାଦର ଆଜି ଆସିଲାଣି ସମାଧିର କାଳ !!

ବୃଥା ଏ ସମାଜ ଆଉ ନୀତି ନାମେ ଫାନ୍ଦି କୂଟ ଜାଲ,

ଉର୍ଣ୍ଣନାଭ ସମ ତୁମେ, ମଣିଷକୁ ମାଛିରେ ଗଣିଲ !!

ଶତାଦ୍ଦୀ ଶତାଦ୍ଦୀ ଗଲା ତୁମେ ତାକୁ ପଶୁରେ ରଖିଛ,

ଆପଣା ଖିଆଲ ଲାଗି ତା’ର ମସାଲ ଜାଳିଛ .. !

ଆପଣା ମଉଜ୍‌ ଲାଗି- ଆପଣାର ସୌଖିନ୍‌ ବିଳାସେ –

ଯାହାକୁ ପିତୁଳା ତଳେ ଲେଖିଥିଲ ଜାଣିକି କିଏ ସେ ?

ଯାହାକୁ କାଷ୍ଠରେ ଗଣି ଭାବିଥିଲ ଜଡ଼ ପ୍ରାଣହୀନ,

ତାହାରି ଭିତରେ ଆଜି ମନୁଷ୍ୟତା ଛାଡ଼ିଛି ଗର୍ଜନ !!

ଯାହାକୁ ପାଷାଣ ବୁଝି ତାର ପରେ ଯାତ୍ରା ସମ୍ପାଦିଲ,

ତାହାରି ଅନ୍ତରୁ ଆଜି ଉଠେ ମନ୍ଦ୍ରେ ପ୍ରାଣ କୋଳାହଳ !!

ଉର୍ଦ୍ଧ୍ୱେଅଧେଃ, ଚତୁସ୍ଥଳେ, ଶୁନ୍ୟେ, ନଭେ, ପ୍ରତିରେଣୁ ଗର୍ଭେ,

ମନୁଷ୍ୟତା ଗର୍ଜିଉଠେ ପ୍ରଳୟର ଭୀଷଣ ଆହବେ !!

ମନୁଷ୍ୟର ଉପଦ୍ରବେ ସଂସାରର ନିଷ୍ଠୁର ସଂଗ୍ରାମେ,

ଯେ ସୈନିକ ମରିଥିଲା ଆଜି ସେହୁ ପ୍ରେତରୁପେ ଜନ୍ମେ !!

 

ଅନ୍ୟାୟର ଚକ୍ର ବ୍ୟୁହେ – ନିଃସହାୟ ନିରସ୍ତ୍ର – ଦୁର୍ବଳ,

ଯେଉଁ ଶିଶୁ ଦେଇଥିଲା ପ୍ରାଣ ଆଜି ମରି ସେ ଅମର !

ତାହାରି ସୈତାନ ଆଜି ତୋଳିଅଛି ଚୈତ୍ରର ନିଶାଣ,

ତାହାରି କବନ୍ଧ ଆଜି ମାଗିଅଛି “ଦେହି ଦେହି ରଣ ।’’

 

ସେହି ସେ ଦଳିତ ଆଜି ପିଟୁଅଛି ରଣର ମର୍ଦ୍ଦଳ,

ଶତାବାର ଛିନ୍ନକରି ଯାର ସତ୍ତା ବାୟୁରେ ମେଲିଲ !

ଯାହାର ହରିଛି ସର୍ବ ଶ୍ମଶାନର ପଞ୍ଜରାଟି ଛାଡ଼ି,

ସେହି ସେ ସର୍ବସ୍ୱ ହରା ଆଜି ଦିଏ ପ୍ରଳୟର ରଡ଼ି !

 

ରକ୍ତ ମାଂସ ନାହିଁ ତାର – ନାହିଁ ପୁଣି ଜୀବନ୍ତ ପ୍ରତିମା,

ତଥାପି ଦୈତ୍ୟର ବୀର୍ଯ୍ୟେ ବଞ୍ଚିଅଛି ତାହାରି ପ୍ରେତାତ୍ମା !!

ଯୁଦ୍ଧ ଆଜି ମାଗେ ଦର୍ପେ ସେହି ‌‌ --

ତାହାରି ଆହ୍ୱାନ ଶୁଭେ, ପଥ ଆଜ ହେ ବିଜୟା !!